ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଦଳରୁ ନିଲମ୍ବନ କରିବା ପରେ, ଗଞ୍ଜାମ ଜିଲ୍ଲାରେ ଉଠିଛି ତୀବ୍ର ପ୍ରତିବାଦର ଲହରୀ।
ଭକ୍ତ ଚରଣ ଦାସଙ୍କ ଏହି ନିଷ୍ପତ୍ତିକୁ ନେଇ ଦଳୀୟ କର୍ମୀ ଓ ନେତୃବର୍ଗ ମଧ୍ୟରେ ଦେଖାଦେଇଛି ଭାରି ଅସନ୍ତୋଷ। ରାଜାରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀଙ୍କ ସହ ରମେଶ ଜେନା ଅନୁଗତ। ଗତକାଲି ସାନଖେମୁଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ପାଟପୁର ଡାକବଙ୍ଗଳା ଠାରେ ବ୍ଲକ୍ କଂଗ୍ରେସ ନେତୃବୃନ୍ଦଙ୍କ ସମାବେଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଦାସଙ୍କ ତୀବ୍ର ସମାଲୋଚନା କରାଯାଇ ଶ୍ରୀ ଜେନାଙ୍କ ନିଲମ୍ବନକୁ ଦୁର୍ଭାଗ୍ୟପୂର୍ଣ୍ଣ ଆଖ୍ୟା ଦେଇଛନ୍ତି । ଏହା ସହ ଏହାର ବିକଳ୍ପ ଭାବେ ସେମାନେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନ କଲେ ଆସିକା ଲୋକସଭା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏହା ସହ ଆଜି ହିଞ୍ଜିଳି, ଶେରଗଡ଼, ଧରାକୋଟ, ଆସିକା ସହ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିଛନ୍ତି।
‘ଗଞ୍ଜାମ ବାଘ’ ଭାବେ ପରିଚିତ ରମେଶ ଜେନାଙ୍କ ସମର୍ଥନରେ କର୍ମୀମାନେ ଭକ୍ତ ଦାସଙ୍କ ବିରୋଧରେ ଜୋରଦାର ନାରାବାଜି କରିବା ସହ, ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ଏହା ସହ ଶେରଗଡ଼ରେ ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତିଙ୍କ ନିଷ୍ପତ୍ତିକୁ କଠୋର ଭାବରେ ନିନ୍ଦା କରାଯାଇଛି।
ତେବେ ଏହି ଘଟଣା ପରେ ଗଞ୍ଜାମରେ କଂଗ୍ରେସର ଭିତରୁ ଦ୍ୱନ୍ଦ୍ୱ ଆଉ ବଢ଼ିବ କି…ନା ଦଳ ଏହାକୁ ସମାଧାନ କରିପାରିବ…
ସେଥିପାଇଁ ଏବେ ସବୁଙ୍କ ଦୃଷ୍ଟି ରହିଛି ରାଜ୍ୟ ନେତୃତ୍ୱ ଉପରେ…”
