ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲାରେ ଅବୈଧ ମହୁଲ ଚାଲାଣ ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ବିଭାଗ ପକ୍ଷରୁ କର୍ଲାପାଟ ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୨୫ କୁଇଣ୍ଟାଲ ମହୁଲ ସହ ଏକ ପିକଅପ୍ ଭ୍ୟାନକୁ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏହି ମହୁଲ ଲିଲିଙ୍ଗପଦର ଗ୍ରାମରୁ ଜୁନାଗଡ଼ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା।
ଭାରପ୍ରାପ୍ତ ଅବକାରୀ ଅଧିକାରୀ ସରୋଜ କୁମାର କାଟ୍ଟାଙ୍କ ସୂଚନା ଅନୁସାରେ, ଏନେଇ ଏକ ମାମଲା ରୁଜୁ କରାଯାଇଛି। ତେବେ ଘଟଣାଟି ଜାମିନ ଯୋଗ୍ୟ ହୋଇଥିବାରୁ ଅଭିଯୁକ୍ତଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି। ଅନ୍ୟପଟେ, ଅଞ୍ଚଳରେ ଦିନକୁ ଦିନ ବଢୁଥିବା ଚୋରା ମଦ କାରବାରକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୫ କୁଇଣ୍ଟାଲ ମହୁଲ ଜବତ ଘଟଣା ପରେ ମଦ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।
