ଦ୍ବିତୀୟ ଦିନର ଉଦଯାପନୀ ସନ୍ଧ୍ୟାରେ ସିନେତାରା ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତି ଓ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ |

ରୂପଦେଇପୁର ମହୋତ୍ସବ ୨୦୨୬ ର ଦ୍ବିତୀୟ ଦିନ ଉତ୍ସାହ ଓ ଆନନ୍ଦ ସ‌ହକାରେ ଏକ ବର୍ଣ୍ଣାଜ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଉତ୍ସବ ପରିସରରେ ଦର୍ଶକମାନଙ୍କ ଅଭୂତ ପୂର୍ବ ଗହଳି ତଥା କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଫେଣ୍ଡା ଫେଣ୍ଟି ସମାହାର ସମବେତ କଳାପ୍ରେମୀ ମାନଙ୍କର ଉତ୍ସାହକୁ ଦ୍ବିଗୁଣିତ କରିଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ସିନେ ତାରକା ତଥା ଦିଗପହଣ୍ଡିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ଉତ୍ସବକୁ ଗରିମାମୟ କରିଥିଲେ।ରୂପଦେଇପୂରର ପ୍ରସିଦ୍ଧ ନାଗା ନୃତ୍ୟ କୁ ସାରା ଓଡ଼ିଶା ଭାରତ ତଥା ବିଶ୍ବ ଦରବାରରେ ପରିଚିତ କରି ତାର ପ୍ରଚାର ପ୍ରସାର କରାଇବା ଦିଗରେ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ପିପିଲି ସାଂସ୍କୃତିକ ପରିଷଦର ସମ୍ପାଦକ ଶ୍ରୀ ଯୁକ୍ତ ରମେଶ ମହାପାତ୍ର ଯୋଗଦେଇ ଓଡ଼ିଆ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ଦିଗରେ ରୂପଦେଇପୁର ର ଅଗ୍ରଣୀ ଭୂମିକା ରହିଛି ବୋଲି ଜୋର ଦେବାସହ ଗ୍ରାମର ଇତିହାସ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।ପିପିଲି- ଡେଲାଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ଆୟୋଜନକୁ ପ୍ରଶଂସା କରିଥିଲେ ଏବଂ ଯୁବ ଗୋଷ୍ଠୀ ମହୋତ୍ସବ ପାଳନ ମାଧ୍ଯମରେ ନିଜର ତଥା ସମାଜର ଉନ୍ନତି କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।ରୂପଦେଇପୁରରେ ପ୍ରାଣୀଧନ ନୂତନ ଚିକିତ୍ସାଳୟ ସ୍ଥାପନ କରାଯିବା ସହ ଗ୍ରାମ ରାସ୍ତାର ପ୍ରଶସ୍ତିକରଣ କରିବା ନିମନ୍ତେ ବିଧାୟକ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ନୂତନ ଦୁଗ୍ଧ ସମବାୟ କେନ୍ଦ୍ର ସ୍ଥାପନ ନିମନ୍ତେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
ବଳଙ୍ଗା ଥାନା ଅଧୂକାରିଣୀ ଶ୍ରୀମତୀ ସସ୍ମିତା ସାହୁ ଉପସ୍ଥିତ ରହି ଶୃଙ୍ଖଳିତ କାର୍ଯ୍ୟକ୍ରମର ଆୟୋଜନ ତଥା ଯୁବଗୋଷ୍ଠୀଙ୍କ ଏକତାକୁ ପ୍ରଶଂସା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟି ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ଗୋପବନ୍ଧୁ ଯୁବ ବିକାଶ ପରିଷଦ ସଭାପତି ଓ ସମ୍ପାଦକ ମଞ୍ଚାସୀନ ଥିଲେ ।
ଜାଗୃତି ଡାନ୍ସ ଏକାଡ଼େମୀ ଓ ବୀଣାକେଶରୀ ନୃତ୍ୟ ମଞ୍ଜରୀ ପ୍ରତିଷ୍ଠାନର କଳାକାର ମାନଙ୍କର ଚମତ୍କାର ନୃତ୍ୟାଭିନୟ ଦର୍ଶକମାନଙ୍କ ଭିତରେ ବିଶେଷ ରୋମାଞ୍ଚ ସୃଷ୍ଟି କରିଥିଲା ।
ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା “ସୁର ତାଲ୍ ମେଲୋଡି ନାଇଟ”, ଯେଉଁଥ୍ରେ ପ୍ରସିଦ୍ଧ ଗାୟିକା ଅନୁରା ଚକ୍ରବର୍ତ୍ତୀ ତାଙ୍କର ଯାଦୁକରୀ କଣ୍ଠରେ ସମଗ୍ର ପରିସରକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ଏହି ଅବସରରେ ଗ୍ରାମର କୃତବିଦ୍ୟ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ସମାଜ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଆଜିର ଅତିଥ୍‌ ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ।
ପ୍ରକାଶ ଥାଉକି ଆଜିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମାନନୀୟ ମୁଖ୍ୟ ଅତିଥ୍, ସମ୍ମାନିତ ଅତିଥ୍‌ ବୃନ୍ଦ ତଥା ପିପିଲି ଡେଲାଙ୍ଗ ର ମାନ୍ୟବର ବିଧାୟକ ଆମର ପ୍ରିୟ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକଙ୍କ ସହ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ଆସିବା ବେଳେ ଗ୍ରାମର ପାରମ୍ପରିକ ନାଗା କାଳି,ତାଟ ଦୁର୍ଗା ଏବଂ ତାଟ ରାବଣଙ୍କ ପଟୁଆର ମାଧ୍ୟମରେ ମଞ୍ଚ ନିକଟକୁ ପାଛୋଟି ଅଣାଯାଇଥିଲା।ଗୋପବନ୍ଧୁ ଯୁବ ବିକାଶ ପରିଷଦ, ରୂପଦେଇପୁର ର ସଭାପତି, ସମ୍ପାଦକ ଓ ସମସ୍ତ ସଦସ୍ୟ ଏହି ମହୋତ୍ସବ ଆୟୋଜନ ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହା ଛଡା ଗ୍ରାମ ବାସୀ ମାନଙ୍କର ଅକୁଣ୍ଠ ସହଯୋଗ ସମର୍ଥନ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମଧ୍ୟ ସହାୟକ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!