ଟ୍ରାଭେଲ୍ସ ବସ୍‌ – ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ |

ନୂଆଦିଲ୍ଲୀ: ସକାଳେ ଆନ୍ଧ୍ର ପ୍ରଦେଶର ମାର୍କାପୁରମ୍ ଜିଲ୍ଲାରେ ଏକ ଘରୋଇ ଟ୍ରାଭେଲ୍ସ ବସ୍‌ ଏକ ଟିପ୍ପର ଟ୍ରକ ସହିତ ଧକ୍କା ହୋଇ ନିଆଁ ଲାଗିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ୬ଟାରେ ହରିକୃଷ୍ଣ ଟ୍ରାଭେଲ୍ସର ବସ୍‌ଟି ତେଲେଙ୍ଗାନାର ନିର୍ମଳରୁ ନେଲୋର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗିଥିଲା ଏବଂ ଅନେକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି। ଜିଲ୍ଲା ପୁଲିସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପ୍ରାୟ ୨୦ଜଣ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅଧିକାରୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ଟଙ୍କା ସମେତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଅଧିକାରୀଙ୍କ ସହ କଥା ହୋଇ ଆହତଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସମେତ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ଆଇଟି ମନ୍ତ୍ରୀ ନାରା ଲୋକେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଦୁର୍ଘଟଣାରେ ଗଭୀର ମର୍ମାହତ ପ୍ରକାଶ କରିବା ସହ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!