ପୁରୀରେ AIYF ଜାତୀୟ ଯୁବ ମହିଳା କନଭେନଶନ ଉଦଘାଟିତ, ଐକ୍ୟବଦ୍ଧ ସଂଘର୍ଷର ଆହ୍ୱାନ |

ପୁରୀରେ ଆରମ୍ଭ ହୋଇଯାଇଛି ଅଖିଳ ଭାରତ ଯୁବ ସଂଘ, ଏଆଇଓ୍ଵାଇଏଫ୍ ପକ୍ଷରୁ ସର୍ବଭାରତୀୟ ଯୁବ ମହିଳା କନଭେନଶନ।
ପୁରୀ ସହର ସ୍ଥିତ ସଂସ୍କୃତି ଭବନରେ ଅମୁଥା ଜୟଦୀପଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ କନଭେନଶନ ଆରମ୍ଭ ହୋଇଛି।
ଏହି କନଭେନଶନକୁ କର୍ମବୀର ଵାଧନୀ ଉଦଘାଟନ କରି ସାମ୍ପ୍ରଦାୟିକତା, ଜାତିବାଦ, ପୁଞ୍ଜିବାଦୀ ଶୋଷଣ ଓ ଲିଙ୍ଗ ଭେଦ ବିରୋଧରେ ଐକ୍ୟବଦ୍ଧ ସଂଘର୍ଷ ପାଇଁ ଆହ୍ୱାନ ଦେଇଥିଲେ।
ସେ କହିଥିଲେ, ବର୍ତ୍ତମାନର ସାମାଜିକ ଓ ଅର୍ଥନୈତିକ ଶୋଷଣ କେବଳ ସାମ୍ପ୍ରଦାୟିକତା କିମ୍ବା ଜାତିବାଦରେ ସୀମିତ ନୁହେଁ, ଏହା ସାମ୍ରାଜ୍ୟବାଦୀ ପ୍ରୋତ୍ସାହନରେ ଆହୁରି ଗମ୍ଭୀର ରୂପ ନେଇଛି।
ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଯୁବତୀ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇଥିଲେ।
ଏଆଇଓ୍ଵାଇଏଫ୍‌ର ସାଧାରଣ ସମ୍ପାଦକ ସୁଖଜିନ୍ଦର ମାହେଶରୀ ଯୁବ ମହିଳାମାନଙ୍କୁ ସମାଜ ପରିବର୍ତ୍ତନର ସଂଘର୍ଷରେ ନେତୃତ୍ୱ ନେବାକୁ ଆହ୍ୱାନ କରିଥିଲେ।
ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର କହିଥିଲେ, ଯୁବତୀମାନେ ସଂଗ୍ରାମର ଆଗଧାଡିରେ ରହିଲେ ହିଁ ରୁଢ଼ିବାଦ ଓ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନ ଆହୁରି ତେଜିଆନ ହେବ।
ସେହିପରି ଏଆଇଓ୍ଵାଇଏଫ୍‌ର ସର୍ବଭାରତୀୟ ଉପସଭାପତି ପ୍ରଦୀପ ସେଠୀ ଶତାବ୍ଦୀ ଧରି ଚାଲୁଥିବା ଅନ୍ଧବିଶ୍ୱାସ, ଶୋଷଣ ଓ ନିର୍ଯାତନାର ଶେଷ ପାଇଁ ସଂଘର୍ଷକୁ ଆହୁରି ତ୍ୱରାନ୍ୱିତ କରିବାକୁ ପଡିବ ବୋଲି ମତ ରଖିଥିଲେ।
ଏହି କନଭେନଶନରେ ଦେଶର ବିଭିନ୍ନ ରାଜ୍ୟରୁ ଯୁବ ନେତ୍ରୀମାନେ ଯୋଗଦେଇ ନିଜର ମତାମତ ରଖିଥିଲେ।
ଏଥିପାଇଁ ଏଆଇଏସଏଫ୍ ଓ ସିପିଆଇର ବହୁ ନେତା ଓ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି କନଭେନଶନକୁ ଶୁଭେଚ୍ଛା ଜଣାଇଥିଲେ।
ଏହି ସର୍ବଭାରତୀୟ ଯୁବ ମହିଳା କନଭେନଶନ ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *

error: Content is protected !!