କଟକ : ପବିତ୍ର ରମଜାନ ମାସ ଦାନ, ଧର୍ମ ଓ ପୁଣ୍ୟର ମାସ ଭାବେ ପରିଚିତ। ଏହି ପବିତ୍ର ସମୟରେ ସମାଜରେ ଭାଇଚାରା, ସହଯୋଗ ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ପାଇଁ କଟକର ସାମାଜିକ ସଂଗଠନ ବିଦ୍ୱାନ ଏକ ଅଭିନବ ପଦକ୍ଷେପ ନେଇଛି। ସଂଗଠନ ପକ୍ଷରୁ ଆୟୋଜିତ ଇଫତାର ପାର୍ଟିରେ ହିନ୍ଦୁ ଓ ମୁସଲିମ ଦୁଇ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ଭାଇଚାରାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
ଇଫତାର ପାର୍ଟିରେ ଦୁଇ ସମ୍ପ୍ରଦାୟର ଲୋକେ ଗୋଟିଏ ପରିବାର ଭଳି ଏକାଠି ବସି ଉପବାସ ଖୋଲିଥିଲେ ଏବଂ ଏକାଠି ଆହାର ଗ୍ରହଣ କରିଥିଲେ। ରମଜାନ ମାସରେ ସକାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ରୋଜା ରଖିବା ପରେ କିପରି ଇଫତାର କରାଯାଏ, ସେହି ଅନୁଭୂତିକୁ ମଧ୍ୟ ଉପସ୍ଥିତ ଲୋକମାନେ ପରସ୍ପର ସହ ବାଣ୍ଟିଥିଲେ। ଏହି ଅବସରରେ ଉପସ୍ଥିତ ଲୋକେ ଅପାର ଖୁସି ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କଟକର ଚର୍ଚ୍ଚିତ ଯୁବ ସମାଜସେବୀ ବିନୋଦ କୁମାର ପଣ୍ଡା ମଧ୍ୟ ସାମିଲ ହୋଇଥିଲେ। ସେ କହିଥିଲେ, “ନା ମୁଁ ହିନ୍ଦୁ ହେବି, ନା ମୁସଲମାନ ହେବି; ପ୍ରଥମେ ମୁଁ ଜଣେ ଭଲ ମଣିଷ ହୋଇ ମାନବିକତାକୁ ପ୍ରମାଣ କରିବି।” ତାଙ୍କ ଏହି ବାର୍ତ୍ତା ବର୍ତ୍ତମାନ କଟକ ସହରରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।ମଦ୍ରାସା ପ୍ରାଙ୍ଗଣରେ ଆୟୋଜିତ ଏହି ଇଫତାର ପାର୍ଟିରେ ଶିଶୁ, ମହିଳା, ବୟସ୍କ ଓ ଯୁବକମାନେ ସାମିଲ ହୋଇଥିଲେ। ରୋଜା ଖୋଲିବା ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ରମଜାନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସର ଜାତି, ବର୍ଣ୍ଣ ଓ ଧର୍ମକୁ ପଛରେ ପକାଇ ମାନବିକତା ଓ ଭାଇଚାରାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି।
ସମାଜରେ ସମ୍ମିଳିତ ଜୀବନ ଓ ସମ୍ପ୍ରୀତିର ବାର୍ତ୍ତା ପ୍ରସାର କରିବାରେ ଏଭଳି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ହେବ ବୋଲି ମତ ପ୍ରକାଶ ପାଇଛି।
