ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର |

ଝରିଗାଁ: ଘରର ଆର୍ଥିକ ସ୍ଥିତି ଠିକ ନଥିବା ଯୋଗୁଁ ଜଣେ ଦଶମ ଶ୍ରେଣୀର ଛାତ୍ର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି। ଫଳରେ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାରି ନାହାଁନ୍ତି। ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ମୁଣ୍ଡିମାଲ ଗ୍ରାମରେ ଦେଖିବାକୁ ମିଳିଛି।

ମୁଣ୍ଡିମାଲ ଗ୍ରାମର ରାମସିଂ ଜାନୀଙ୍କ ବଡ଼ ପୁଅ ନିରାକାର ଜାନୀ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ପାଠ ପଢୁଥିଲେ।ତେବେ ପରୀକ୍ଷା ପୂର୍ବରୁ ନିରାକାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଇଥିବା ଯୋଗୁଁ ପରୀକ୍ଷା ଦେଇ ପାରିନଥିଲେ। ବାପା ରାମସିଂଙ୍କ କହିବା ପ୍ରକାରେ ସେ ପ୍ରାୟ ଏକ ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଗତ ଦୁଇ ମାସ ତଳେ ଚିକିତ୍ସା ପାଇଁ ରାୟପୁର ଯାଇଥିଲେ। ତାଙ୍କର ଅନୁପସ୍ଥିତିରେ ଘରର ଆର୍ଥିକ ଅଭାବ ଯୋଗୁଁ ନିରାକାର ଘରେ କାହାକୁ ନକହି ସାଙ୍ଗସାଥି ସହ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଇଛନ୍ତି।ସେହି ଦିନ ଠାରୁ ଫେରି ନଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷା ନେଇ ନିରାକାର ଜାଣିନଥିବା ସହ ସଠିକ ସମୟରେ ଆସି ନପାରିବା ଯୋଗୁଁ ପରୀକ୍ଷା ଦେବାରୁ ବଞ୍ଚିତ ଥିବା କହିଛନ୍ତି।ସେହିପରି ସ୍ତ୍ରୀ ଗୋମତି ସହ ଉଭୟେ କୁଲି କାମ କରି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ। ବଡ଼ ପୁଅ ଦାଦନ ଯାଇଥିବା ବେଳେ ସାନ ପୁଅ ଓ ଝିଅ ଗାଁ ବିଦ୍ୟାଳୟରେ ପାଠ ପଡୁଛନ୍ତି। ପ୍ରଶାସନ ପକ୍ଷରୁ ଆବାସ ଗୃହ ମିଳିବା ସହ ପରିବାରକୁ ୨୦ କିଲୋଗ୍ରାମ ଚାଉଳ ମିଳୁଛି।ଆର୍ଥିକ ଅଭାବ ଯୋଗୁଁ ବର୍ତ୍ତମାନ କର୍କର ରୋଗ ପାଇଁ ଚେରମୂଳ ଔଷଦ ଉପରେ ନିର୍ଭର କରୁଛନ୍ତି।ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଲକରେ ୯ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ୨୧୬୨ ଜଣ ଛାତ୍ରଛାତ୍ରୀ ଫୋର୍ମ ପୂରଣ କରିଥିଲେ।ସେଥି ମଧ୍ୟରୁ ୨୧୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Content is protected !!