ଚକୋଲେଟ ଲୋଭ ଦେଖାଇ ଶିଶୁ ସହ ଅପ୍ରାକୃତ ଯୌନସମ୍ପର୍କ, ହତ୍ୟା : ଆସିଲା ବଡ଼ ରାୟ |

ବ୍ରହ୍ମପୁର,): ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳରେ ଏକ ଶିଶୁପୁତ୍ର ସହ ଅପ୍ରାକୃତ ଯୌନ ସମ୍ପର୍କ ରଖି ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତୀ ପଟ୍ଟନାୟକ ଉକ୍ତ ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଉକ୍ତ ଥାନା ଅଞ୍ଚଳର ସୁକାନ୍ତ ସେଠୀ ଓରଫ ଶ୍ରୀକାନ୍ତ(୨୬)ଙ୍କୁ ସେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏଥିସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଜଜ୍‌ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ମୃତ ଶିଶୁଙ୍କ ମା’ବାପାଙ୍କୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶିଶୁପୁତ୍ରଙ୍କ ବାପା ସୁରଟରେ ରହୁଥିଲେ। ମା’ ମଜୁରୀ ଲାଗନ୍ତି। ୨୦୨୩ ଜାନୁଆରୀ ୨୪ରେ ଶିଶୁଟି ଘର ଦାଣ୍ଡରେ ଖେଳୁଥିବା ବେଳେ ସେହି ସାହିରେ ରହୁଥିବା ଶ୍ରୀକାନ୍ତ ଚକୋଲେଟ ଦେଇ ଲୋଭ ଦେଖାଇ ତାଙ୍କ ଛାତ ଉପରକୁ ନେଇ ଯାଇଥିଲେ। କାମରୁ ଫେରିବା ପରେ ମା’ ଓ ପରିବାରର ଅନ୍ୟମାନେ ପୁଅକୁ ଖୋଜାଖୋଜି କରିଥିଲେ। ସାହିର କେତେଜଣଙ୍କଠାରୁ ଶୁଣି ସେମାନେ ଶ୍ରୀକାନ୍ତଙ୍କ ଛାତକୁ ଯାଇଥିଲେ। ସେଠାରେ ଶିଶୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଶ୍ରୀକାନ୍ତ ସେଠାରେ ଥିଲେ। ଶ୍ରୀକାନ୍ତ ନିଜ ଦୋଷ ସ୍ବୀକାର କରିବା ସହ ସେଠାରୁ ଚାଲିଯାଇଥିଲେ ବୋଲି ପୀଡିତଙ୍କ ପରିବାର ଲୋକେ କହିଥିଲେ। ଶିଶୁପୁତ୍ର ବଞ୍ଚିଥିବା ଭାବି ପରିବାର ଲୋକେ ତାଙ୍କୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୨୪/୨୩ରେ ମାମଲା ରୁଜୁ କରି ଘଟଣାର ପରଦିନ ଶ୍ରୀକାନ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ମମତା କୁମାରୀ ସାମନ୍ତରା କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚରାଧୀନ ବନ୍ଦୀ ଥିବା ଶ୍ରୀକାନ୍ତଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ପୋଲିସର ଚାର୍ଜସିଟ ଆଧାରରେ ଜଜ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!