ବାଗଝୋଲା ନଦୀଘାଟରୁ ଗଳିତ ମୃତଦେହ ଜବତ, ହତ୍ୟା ପରେ ଆଳୁ ବସ୍ତାରେ ଭର୍ତ୍ତି କରି ଫିଙ୍ଗିଥିବା ସନ୍ଦେହ

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଏକ ଶିହରଣକାରୀ ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ରାବତୀ ନଦୀର ବାଗଝୋଲା ଘାଟ ନିକଟରୁ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ଏକ ଆଳୁ ବସ୍ତାରେ ଭର୍ତ୍ତି ହୋଇ ପଡ଼ିରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍‌ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଏସଆଇ (SI) ସନ୍ତୋଷ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସେଠାରେ ପ୍ରାଥମିକ ତଦନ୍ତ ସାରି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏନେଇ କୁମାରକାଣୀ ଗ୍ରାମରକ୍ଷୀ ସୋମନାଥ ନାଏକଙ୍କ ଲିଖିତ ଅଭିଯୋଗ ଆଧାରରେ କେସ୍ ନମ୍ବର ୩/୨୬ (U/D Case) ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ମୃତଦେହଟି ପ୍ରାୟ ମାସେରୁ ଅଧିକ ସମୟ ଧରି ନଦୀ ପଠାରେ ପଡ଼ି ରହିଥିଲା। ଶରୀରରୁ ମାଂସ ଛାଡ଼ି କେବଳ ହାଡ଼ ଦୃଶ୍ୟମାନ ହେଉଥିବା ବେଳେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ତଥାପି ସ୍ଥାନୀୟ ଅଞ୍ଚଳର କୌଣସି ବ୍ୟକ୍ତି ପୋଲିସକୁ ସୂଚନା ନଦେବା ଏବଂ ଘଟଣା ବିଷୟରେ ଚୁପ୍ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସର ସୂଚନା ମୁତାବକ, ନିକଟ ଅତୀତରେ ଥାନାରେ କୌଣସି ମହିଳା ନିଖୋଜ ଥିବା ନେଇ ମଧ୍ୟ ଅଭିଯୋଗ ହୋଇନାହିଁ। ତେଣୁ ଏହି ଅଜଣା ମହିଳା ଜଣକ କିଏ ଏବଂ କେଉଁଠାରୁ ଆସିଲେ, ତାହା ରହସ୍ୟାବୃତ୍ତ ହୋଇ ରହିଛି।

ଏହି ଅତ୍ୟନ୍ତ ଗଳିତ ମୃତଦେହକୁ ଉଦ୍ଧାର କରିବା ସମୟରେ ଥାନାର ହୋମଗାର୍ଡ ତିଲସିଂ ମାଝୀ ଏବଂ ସୁଇପର ଭିବି ନାଏକ ଯେଉଁ ସାହସିକତା ଓ ମାନବିକତା ଦେଖାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ଦୁର୍ଗନ୍ଧମୟ ମୃତଦେହକୁ ସ୍ଥାନୀୟ ଲୋକେ ଘୃଣା କରୁଥିବା ବେଳେ ଏହି ଦୁଇ କର୍ମଚାରୀ କୁଣ୍ଠାବୋଧ ନ କରି ମୃତଦେହଟିକୁ ଏକ ପଲିଥିନ୍ (ଜରି) ରେ ଗୁଡ଼ାଇ ବାନ୍ଧିଥିଲେ ଏବଂ ଏକ ଭାର ସାହାଯ୍ୟରେ ନିଜ କାନ୍ଧରେ ବୋହି ଦୁର୍ଗମ ନଦୀ ପଠାରୁ ମୁଖ୍ୟ ରାସ୍ତାରେ ଥିବା ‘ମହାପ୍ରୟାଣ’ ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ସେମାନଙ୍କର ଏହି ନିସ୍ୱାର୍ଥପର କର୍ତ୍ତବ୍ୟନିଷ୍ଠାକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!