ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରେ ରବିବାର ଏକ ଶୋଚନୀୟ ଦୁର୍ଘଟଣା ଘଟିଛି। ବୌଦ୍ଧ ଥାନା ଜହ୍ନାପଙ୍କ ନିକଟରେ ଏକ କାର୍ର ଆଗ ଚକା ହଠାତ୍ ଫାଟିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ଧକ୍କା ଏତେ ଜବରଦସ୍ତ ଥିଲା ଯେ ଦୁର୍ଘଟଣା ପରେ କାର୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ସହରର ଶୁଭାଶିଷ ଆଚାର୍ଯ୍ୟ ନିଜ ପରିବାର ସହ ଟିଟିଲାଗଡ଼ରୁ ଫେରୁଥିଲେ। ଗାଡ଼ିରେ ତାଙ୍କ ସ୍ତ୍ରୀ, ଶାଶୁ, ୭ ବର୍ଷର ପୁଅ ଏବଂ ମାତ୍ର ୪ ଦିନର ଏକ ନବଜାତକ ଶିଶୁ ଥିଲେ। ସ୍ଥାନୀୟ ଲୋକ ଓ ବିଦ୍ୟୁତ୍ କର୍ମଚାରୀମାନେ ସାହସର ସହ ନିଆଁକୁ ଆୟତ୍ତ କରି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଚକା ଫାଟି ଗଛରେ ପିଟିହେଲା କାର ଘଟଣାରେ ଚାଳକଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
