ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଖେଳପଡ଼ିଆରେ
Border Security Forceର ୧୧୦ ବାଟାଲିଅନ ପକ୍ଷରୁ ଏକ ବୃହତ୍ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଏକ ମୁକ୍ତ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ
ପାଞ୍ଚଶହରୁ ଅଧିକ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି।
ଆଦିବାସୀ ଅଧ୍ୟୁଷିତ ପଡିଆ ଭଳି ଦୁର୍ଗମ ଅଞ୍ଚଳରେ
ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ
ଭାତୃତ୍ୱ ଭାବ ଓ ଶାନ୍ତିଶୃଙ୍ଖଳା ବଜାଇ ରଖିବା ଉପରେ
ବିଏସଏଫ ଯବାନମାନେ ଗୁରୁତ୍ୱ ଆରୋପ କରିଛନ୍ତି।
ଗତ କିଛି ବର୍ଷ ଧରି ବିଏସଏଫ ଯବାନମାନେ
ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି
ସ୍ଥାନୀୟ ଲୋକଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରି
ଶାନ୍ତି ଓ ସୁରକ୍ଷା ବଜାଇ ରଖିବାରେ ସଫଳ ହୋଇଆସୁଛନ୍ତି।
କାର୍ଯ୍ୟକ୍ରମ ଅବସରରେ ଗ୍ରାମବାସୀଙ୍କୁ
ଆତ୍ମରକ୍ଷା କୌଶଳ, ପାରିବାରିକ ସମନ୍ୱୟ,
ବାଲ୍ୟବିବାହ ବିରୋଧୀ ସଚେତନତା
ଏବଂ ମାଓ ଚିନ୍ତାଧାରାରୁ ଦୂରେଇ ରହି
ବିକାଶ ଧାରାରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।
ଏହା ସହ ବିଏସଏଫ ପକ୍ଷରୁ
କମ୍ବଳ, ସ୍କୁଲ ବ୍ୟାଗ, ଭଲିବଲ୍, ନେଟ୍
ସହ ବିଭିନ୍ନ ଉପଯୋଗୀ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଏସଏଫ ସେକେଣ୍ଡ ଇନଚାର୍ଜ ସନ୍ତୋଷ କୁମାର ,ବ୍ଲକ୍ ଅଧ୍ୟକ୍ଷ କଲ୍ୟାଣ ବିଶ୍ୱାସ, ଜୁନିଅର କଲେଜ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ବ୍ଲକ୍ ସହକାରୀ ଯନ୍ତ୍ରୀ ବିଷ୍ଣୁ ମହାପାତ୍ରଙ୍କ ସହ ବହୁ ଉଚ୍ଚ ପଦାଧିକାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ ପ୍ରାୟ ଦୁଇହଜାରରୁ ଅଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
