ମିଳିତ କେନ୍ଦୀୟ ଶ୍ରମିକ ସଂଗଠନଙ୍କ ଆହ୍ୱାନରେ ୧୨ ଘଣ୍ଟିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ |

ଆଜି କୋଇଡ଼ା ଅଞ୍ଚଳରେ ସିଆଇଟିୟୁ ପକ୍ଷରୁ ରାଇକେଲା, ଟେନସା, ଜୀର ପୋଇଣ୍ଟ, ତାଳଦିହିଁ, ବର୍ଷୁଆଁ, ନାରାୟଣ ପଶି, କାଲଟା, ବିମଲାଗଡ଼ ଆଦି ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ସକାଳୁ ଆରମ୍ଭ ହୋଇଥିବା ଏହି ଧର୍ମଘଟରେ ଶ୍ରମିକ, କୃଷକ, ଛାତ୍ର ଓ ସାଧାରଣ ଲୋକଙ୍କ ବ୍ୟାପକ ସମର୍ଥନ ଦେଖାଯାଇଥିଲା।

ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ୍, ଭି.ବି.ଜି. ରାମ.ଜି. ଆଇନ ୨୦୨୫ ପ୍ରତ୍ୟାହାର, ମନରେଗାକୁ ବଞ୍ଚାଇବା, କୃଷକ ବିରୋଧୀ ବିହନ ବିଲ୍ ୨୦୨୫ ରଦ୍ଦ, ଜନବିରୋଧୀ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର, ନୂତନ ପେନସନ୍ ସ୍କିମ୍ ବନ୍ଦ କରି ପୁରୁଣା ପେନସନ୍ ସ୍କିମ୍ ଲାଗୁ କରିବା ସହିତ ପ୍ରଦୂଷଣ ସର୍ଟିଫିକେଟ୍ ନାମରେ ସାଧାରଣ ଲୋକଙ୍କୁ ହେଉଥିବା ଅର୍ଥ ଲୁଣ୍ଠନ ବନ୍ଦ କରିବା ଆଦି ମୁଖ୍ୟ ଦାବି ଉଠାଯାଇଥିଲା।

ଧର୍ମଘଟର ପ୍ରଭାବରେ ଜରୁରୀକାଳୀନ ସେବା ବ୍ୟତୀତ ବହୁତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କିଂ ସେବା, ସ୍କୁଲ-କଲେଜ, ଦୋକାନ-ବଜାର, ପେଟ୍ରୋଲ ପମ୍ପ, ଖଣି ଓ ଖାଦାନ କାର୍ଯ୍ୟକଳାପ ପ୍ରାୟ ଠପ୍ ହୋଇଯାଇଥିଲା। ଅନେକ ସ୍ଥାନରେ ରାସ୍ତା ଅବରୋଧ ଓ ଯାତାୟାତ ବାଧାଗ୍ରସ୍ତ ହେବାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା।

ଶ୍ରମିକ ନେତାମାନେ ସଚେତନ କରି କହିଥିଲେ ଯେ, ଯଦି ଶ୍ରମିକ ଓ ସାଧାରଣ ଲୋକଙ୍କ ଦାବି ଶୀଘ୍ର ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଏହି ଧର୍ମଘଟ ସାମ୍ୟବାଦୀ ଏକତା ଓ ଶ୍ରମିକ ଅଧିକାର ପାଇଁ ଜନସମର୍ଥନର ଏକ ମଜବୁତ ପ୍ରତୀକ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

error: Content is protected !!