ବିଶ୍ୱ କର୍କଟ ଦିବସ: ବ୍ରହ୍ମପୁରରେ କ୍ରାନ୍ତି ଓ ସମ୍ ହସ୍ପିଟାଲର ବିଶାଳ ସଚେତନତା ଅଭିଯାନ |

ବିଶ୍ୱ କର୍କଟ ଦିବସ ଅବସରରେ ଦେଶବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆସିଛି ବ୍ରହ୍ମପୁରରୁ।
“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ” — ଏହି ଆହ୍ବାନ ସହ ବ୍ରହ୍ମପୁରରେ ଆୟୋଜିତ ହୋଇଯାଇଛି ଏକ ବିଶାଳ କର୍କଟ ସଚେତନତା କାର୍ଯ୍ୟକ୍ରମ।
ଆଜି, ୦୪ ଫେବୃଆରୀ ୨୦୨୬, ବିଶ୍ୱ କର୍କଟ ଦିବସ ଅବସରରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ସିତଲାପଲି ସ୍ଥିତ ସମ୍ ହସ୍ପିଟାଲ ର ଯୁଗ୍ମ ଉଦ୍ୟମରେ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ଏହି ସଚେତନତା ସଭା ଓ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜଣେ ମୁଖ କର୍କଟ ରୋଗୀ ଡ଼. ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିଲା।
ସେ ତାଙ୍କ ଅନୁଭବ ସେୟାର କରି କହିଥିଲେ—
ସଠିକ୍ ସଚେତନତା ନଥିବାରୁ ଅନେକେ କର୍କଟକୁ ମୃତ୍ୟୁ ସହ ଯୋଡ଼ିଦେଉଛନ୍ତି, କିନ୍ତୁ ସମୟରେ ଚିହ୍ନଟ ଓ ଚିକିତ୍ସା ହେଲେ କର୍କଟ ରୋଗୀ ନିଶ୍ଚୟ ସୁସ୍ଥ ହୋଇପାରିବେ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ, ମେଡିକାଲ ଓ ସର୍ଜିକାଲ ଓଙ୍କୋଲୋଜି ବିଶେଷଜ୍ଞମାନେ କର୍କଟ ରୋଗର ଭୟାବହତା, ଚିକିତ୍ସା ପଦ୍ଧତି ଓ ପ୍ରତିରୋଧ ବିଷୟରେ ସଚେତନତା କରାଇଥିଲେ।

ଏହି ଅବସରରେ “ତମାଖୁ ଛାଡ଼ନ୍ତୁ, ଜୀବନ ବାଛନ୍ତୁ” ମନ୍ତ୍ର ସହ ଉପସ୍ଥିତ ସମସ୍ତେ ଶପଥ ନେଇଥିଲେ। ପରେ ସମସ୍ତ ଅତିଥିମାନେ ସବୁଜ ପତାକା ଦେଖାଇ ବ୍ରହ୍ମପୁର ୱାକଥନ୍‌କୁ ଶୁଭାରମ୍ଭ କରିଥିଲେ।

ପ୍ରାୟ ୧୨୦୦ ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ସ୍ୱେଚ୍ଛାସେବୀ, ବିଭିନ୍ନ ସ୍କୁଲ, ମହାବିଦ୍ୟାଳୟ, ପୋଲିସ ବାହିନୀ ଓ ନର୍ସିଂ ଷ୍ଟାଫ ଏହି ପଦଯାତ୍ରାରେ ଯୋଗଦେଇ ସହରବାସୀଙ୍କୁ କର୍କଟ ରୋଗ ସଚେତନତାର ସନ୍ଦେଶ ଦେଇଥିଲେ।

ଶେଷରେ ଡ଼. ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇ,
ମିଳିମିଶି ସଚେତନ ହୋଇ କର୍କଟ ମୁକ୍ତ ଭାରତ ଗଠନ ପାଇଁ ଆହ୍ବାନ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!