ନୂଆଦିଲ୍ଲୀ: ସାରା ବିଶ୍ୱ କୃତ୍ରିମ ବୁଦ୍ଧିମତ୍ତାକୁ ଏକ ଡେଟା ଆଲଗୋରିଦିମ ବା ସ୍ୱୟଂଶାସିତ ବଳ ଭାବେ ଦେଖୁଥିବା ବେଳେ ଭାରତ ଏଥିରେ ମାନବିକ ଆକାଂକ୍ଷା ଓ ନୈତିକତାର ସମ୍ପ୍ରସାରଣକୁ ଦେଖୁଛି। ଭାରତର ଏହି ଆଭିମୁଖ୍ୟ ଏଆଇ ଉପଯୋଗ କ୍ଷେତ୍ରରେ ଏକ ନୂତନ ମୋଡ଼ ଆଣିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଆଧାର କରି ଭାରତ କୃତ୍ରିମ ବୁଦ୍ଧିମତା ସନ୍ଦର୍ଭରେ ଏକ ସାଂସ୍କୃତିକ ତଥା ସଭ୍ୟତାଗତ ଆକାଂକ୍ଷା ଉପସ୍ଥାପନ କରିଛି।ଫେବୃଆରୀ ୧୯ ତାରିଖରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ର ଉଦ୍ଘାଟନୀ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଆଇ ପ୍ରତି ଯେଉଁ ଆଭିମୁଖ୍ୟ ରଖିଲେ ତାହା ଏହାକୁ ସ୍ପଷ୍ଟ କରୁଛି। ସେ କହିଥିଲେ, ଏଆଇ କେବଳ ଡାଟା ଏବଂ ଆଲଗୋରିଦମ ଦ୍ୱାରା ପରିଚାଳିତ ଏକ ସ୍ୱୟଂଶାସିତ ବଳ ନୁହେଁ, ବରଂ ମାନବୀୟ ଆକାଂକ୍ଷା, ନୈତିକତା ଏବଂ ମର୍ଯ୍ୟାଦାର ଏକ ସମ୍ପ୍ରସାରଣ। ସେ ଏହି ମାନବ-କେନ୍ଦ୍ରିକ ଦୃଷ୍ଟିକୋଣକୁ ସଂକ୍ଷେପରେ MANAV (ମାନବ) ବୋଲି ଅଭିହିତ କରିଥିଲା। ‘ମାନବ’ ଏକ ଏପରି ରୋଡମ୍ୟାପ୍ ପ୍ରଦାନ କରେ ଯେଉଁଠାରେ ବୈଷୟିକ ପ୍ରଗତି ସାମାଜିକ ମୂଲ୍ୟବୋଧ ସହିତ ସମାନ୍ତରାଳ ଭାବେ ଅଗ୍ରଗତି କରେ। ଏହି ସାମାଜିକ ମୂଲ୍ୟବୋଧରେ ରହିଛି: ନୈତିକ ଏବଂ ଆଚରଣଗତ ବ୍ୟବସ୍ଥା , ଉତ୍ତରଦାୟୀ ଶାସନ, ଜାତୀୟ ସାର୍ବଭୌମତ୍ୱ, ସୁଗମ ଏବଂ ଅନ୍ତର୍ଭୁକ୍ତ ଏଆଇ, ଏବଂ ବୈଧ ତଥା ଆଇନଗତ ବ୍ୟବସ୍ଥା।
ଫେବୃଆରୀ ୧୬ ରୁ ୨୦ ତାରିଖ ଯାଏଁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଆୟୋଜନ କରାଯାଇଥିଲା। ଏଠାରେ କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଭାରତ ବିଶ୍ୱର ବୈଷୟିକ ନେତୃତ୍ୱ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଏକତ୍ରିତ କରିଥିଲା। ଏହି ଆଲୋଚନା ଏକ ସାଧାରଣ ଆକାଂକ୍ଷାକୁ ପ୍ରତିଫଳିତ କରିଛି, ଯାହର ମୂଳରେ ରହିଛି ମାନବିକତା।
ସମୁଦାୟ ବିଶ୍ୱ ଜନସଂଖ୍ୟାର ଏକ-ଷଷ୍ଠାଂଶ ଯୁବକ ଭାରତରେ ରହନ୍ତି। ଏହିକ୍ରମରେ ଭାରତ ହେଉଛି ବିଶ୍ୱର ସର୍ବବୃହତ ଯୁବ ଗୋଷ୍ଠୀ ବହୁଳ ରାଷ୍ଟ୍ର। ଏହା ସହ ସବୁଠାରୁ ଗତିଶୀଳ ବୈଷୟିକ ପ୍ରତିଭା ସମ୍ପନ୍ନ ଦେଶ। ଏଣୁ ଭାରତ ନୂତନ ଜ୍ଞାନକୌଶଳର ଉଭୟ ସ୍ରଷ୍ଟା ଏବଂ ଦ୍ରୁତ ଗ୍ରହଣକାରୀ ଭାବରେ ଉଭା ହୋଇଛି। ଏହି ଅଦ୍ୱିତୀୟ ସ୍ଥିତି କେବଳ ବ୍ୟାପକତା ପ୍ରଦାନ କରେ ନାହିଁ, ବରଂ ବିଶ୍ୱସ୍ତରୀୟ ଏଆଇ ଆଲୋଚନାକୁ ରୂପ ଦେବାରେ ଏକ ଦାୟିତ୍ୱ ମଧ୍ୟ ପ୍ରଦାନ କରେ।
ଭାରତର ‘ମାନବ’ ଦୃଷ୍ଟିକୋଣ କେବଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁହାଯାଯାଇଥିବା କୌଣସି ଏକ ଧାରଣା ନୁହେଁ; ବରଂ, ଏହା ହେଉଛି ସମନ୍ୱିତ କାର୍ଯ୍ୟକ୍ରମ ଏବଂ ନୀତିଗତ ପଦକ୍ଷେପ ମାଧ୍ୟମରେ ଏକ ଶକ୍ତିଶାଳୀ ଭିତ୍ତିଭୂମି ନିର୍ମାଣର ପ୍ରତିବଦ୍ଧତା। ଏହି ପଦକ୍ଷେପଗୁଡ଼ିକ ଶିକ୍ଷା, ଡିଜିଟାଲ୍ ଭିତ୍ତିଭୂମି, ଶାସନ ଏବଂ ଉଦ୍ଭାବନ ବ୍ୟବସ୍ଥାରେ ମାର୍ଗଦର୍ଶକ ନୀତିଗୁଡ଼ିକୁ କାର୍ଯ୍ୟକ୍ଷମ ପରିଣାମରେ ପରିଣତ କରେ। ଅନ୍ତର୍ଭୁକ୍ତିକରଣ, ସୁରକ୍ଷା ଏବଂ ଜନହିତ ଉପରେ ଆଧାରିତ ଏହି ପଦକ୍ଷେପଗୁଡ଼ିକ ନିଶ୍ଚିତ କରେ ଯେ ଭାରତର ଏଆଇ ରଣନୀତି ଉଭୟ ଭବିଷ୍ୟତବାଦୀ ଏବଂ ସାମାଜିକ ଭାବେ ଦାୟିତ୍ୱବାନ ଅଟେ। ଏଗୁଡ଼ିକ ମିଳିତ ଭାବେ ଦର୍ଶାଏ ଯେ ଏହି ଦୃଷ୍ଟିକୋଣ ପଛରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ନିରନ୍ତର ସାଂସ୍ଥାନିକ ପ୍ରତିବଦ୍ଧତା ରହିଛି।
