ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି । ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ ଆର୍ଥିକ ପରିସ୍ଥିତି ବଢିବାରେ ଲାଗିଛି । ସେପଟେ ନିଶାସକ୍ତ ଲୋକଙ୍କ ପରିବାର ସର୍ବସ୍ୱ ହରାଉଛି । ଅଧିକାଂଶ ଲୋକ ଏହି ମଦ ପିଇବା ଯୋଗୁ ଘରର ଭଲ ମନ୍ଦ ବୁଝୁ ନ ଥିବା ବେଳେ ମହିଳା ହିଂସା ବଢିବା ସହ ପରିବାର ଭାଙ୍ଗି ଚୁରମାର ହେଉଛି ।ତେଣୁ ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ଅଞ୍ଚଳକୁ ନିଶାମୁକ୍ତ କରିବାକୁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି । ଶୁକ୍ରବାର ଉକ୍ତ ପଞ୍ଚାୟତ ଦବେଡି ଗ୍ରାମରେ ଅଞ୍ଚଳର ନାରୀ ସଂଗଠନର ଡାକରାରେ ନିଶାମୁକ୍ତ ଅଞ୍ଚଳ କରିବାକୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ସୋନପୁର ନାରୀ ଶକ୍ତି ଆଞ୍ଚଳିକ ମହାସଂଘ ପକ୍ଷରୁ ଏହି ଅଭିଯାନ ବୈଠକରେ ମହାସଂଘ ସଭାନେତ୍ରୀ ଦାସୀନ୍ତା ବଳିୟାରସିଂଙ୍କ ସଭାପତିତ୍ୱରେ ବିଭିନ୍ନ ଗ୍ରାମର ଜଙ୍ଗଲ ଅଧିକାର କମିଟିର ନେତୃବୃନ୍ଦ, ଗ୍ରାମ ବିକାଶ ସଂଗଠନର ନିରଞ୍ଜନ ଧାରୁଆ, ଜାଗୃତି ସ୍ବେଛାସେବୀ ଅନୁଷ୍ଠାନର ଧନେଶ୍ବର ସାହୁ, ପୋଲିସ ସବଇନ୍ସପେକ୍ଟର ଏସ କେ ଆମଦ, ଏଏସଆଇ ଶ୍ରୀନିବାସ ରାଓ, ଜାଗୃତି ସମ୍ପାଦକ, କୈଳାସ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳକୁ କିଭଳି ନିଶାମୁକ୍ତ କରାଯାଇପାରିବ ଓ ନିଶା ସେବନ ଯୋଗୁ ଅଞ୍ଚଳରେ ଓ ପରିବାର ରେ ଘଟୁଥିବା ଅପରାଧିକା ଘଟଣା ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସୋନପୁର ପଞ୍ଚାୟତରେ ଦୀର୍ଘ ଦିନ ହେଲା ଏହି ନିଶା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଏଇ କିଛିମାସ ହେଲା ଦେଶୀ ମଦ ର ପୁନଃ ପ୍ରଚଳନ ହେତୁ, ମକା, ଅନ୍ୟାନ୍ୟ ଫସଲ, ତଥା ଦାଦନ ରୁ ଆସୁଥ‌ିବା ଅର୍ଥ କିଭଳି ଏହା ପଛରେ ଯାଉଛି କହିବା ସହିତ ଭାବବିହ୍ଵଳ ହୋଇ ମହିଳା ମାନେ ବୈଠକରେ କାନ୍ଦି ପକାଇଥିଲେ। ଟଙ୍କା ନ ପାଇଲେ ମଦୁଆ ସ୍ଵାମୀମାନେ କିଭଳି ଖାଇବା ପାଇଁ ଥିବା ଚାଉଳ ଓ ଅଙ୍ଗନବାଡି ତରଫରୁ ଗର୍ଭବତୀ ଓ ଶିଶୁଙ୍କୁ ମିଳୁଥିବା ଅଣ୍ଡା ଆଦି ଘରୁ ନେଇ ମଦ ବ୍ୟବସାୟିଙ୍କୁ ଦେଇ ମଦ୍ୟପାନ କରୁଥିବା କଥା ମହିଳା ନେତ୍ରୀମାନେ ଉପସ୍ଥାପନା କରିଥିଲେ। ଆହୁରି ମଧ୍ୟ ସେମାନେ କହିଥିଲେ କିଭଳି ମଦ୍ୟପାନ ହେତୁ ଅସମୟରେ ଘରର ମୁଖ୍ୟ କିମ୍ଵା ପିଲାମାନେ ମୃତ୍ୟୁମୁଖରେ ପଡିବା ହେତୁ, ମହିଳାମାନେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଜୀବନ ସାରା ହଇରାଣ ହେଉଛନ୍ତି।

ବେଆଇନ ମଦ ପ୍ରସ୍ତୁତ କରି ବିକ୍ରିକରୁଥିବା ପଂଚାୟତର ଦବେଡ଼ି, ସୋନପୁର ଓ ଗାହାକିଆ ଗ୍ରାମ ର ୨୫ ଗୋଟି ପରିବାର ନିଶାବିରୋଧୀ ନେତ୍ରୀ ଓ ନେତା ମାନଙ୍କୁ ଅନେକ ସମୟରେ ଆକ୍ରମଣ କରିବାକୁ ପଛାଉନଥିବା ଉଦାହରଣ ସହ ଉପସ୍ଥାପନା କରିଥିଲେ। ସେମାନେ ସୋନପୁର ଗ୍ରାମପଞ୍ଚାୟତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାପାଇଁ ଶପଥ ନେଇଥିବା କଥା ପ୍ରକାଶ କରିଥିଲେ। ମହିଳା ସଂଗଠନକୁ ପୋଲିସ ତରଫରୁ ସମ୍ପୂର୍ଣ୍ଣ ସହାୟତା କରିବା ପାଇଁ ଉପସ୍ଥିତ ପୋଲିସ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ। କେହି ଚୋରା ମଦ ପ୍ରସ୍ତୁତ ତଥା ବିକ୍ରୟ କଲେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବାପାଇଁ ପରାମର୍ଶ ଦେଇଥିଲେ ଓ କୌଣସି ପରିସ୍ଥିତିରେ ଆଇନ କୁ ହାତକୁ ନ ନେବାପାଇଁ ପରାମର୍ଶ ଦେଲେ। ଶେଷରେ ଜାଗୃତି ସମ୍ପାଦକ, କୈଳାସ ଚନ୍ଦ୍ର ଦଣ୍ଡପାଟ କହିଥିଲେ ଯେ ମହିଳା ମାନେ ଏକଜୁଟ ହୋଇ ଅହିଂସା ମାର୍ଗରେ ଏହି ସଂଗ୍ରାମ ଜାରିରଖିଲ ସୋନପୁର ଖୁବ ଶୀଘ୍ର ନିଶାମୁକ୍ତ ଗ୍ରାମପଞ୍ଚାୟତ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେ ମଦ ସହିତ ଗଞ୍ଜେଇ, ଯାହା ଦ୍ବାରା ଛୋଟ ଛୋଟ ପିଲାମାନେ ଏହାର ଶିକାର ହେଉଥିବା କଥା କହିଥିଲେ ଓ ଏହାର ବ୍ୟବହାରକୁ ନିଷେଧ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ସମସ୍ତ ମହିଳା ଏକଜୁଟ ହୋଇ ସୋନପୁର ଗ୍ରାମପଞ୍ଚାୟତକୁ ନିଶାମୁକ୍ତ କରିବାର ଶପଥ ନେବା ସହିତ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!