ରାହୁଲଙ୍କୁ ଜବାବ ଦେବାକୁ କଂଗ୍ରେସ ଓ ନେହରୁଙ୍କ ସମ୍ପର୍କିତ ୧୫୦ ପୁସ୍ତକର ସଙ୍କଳନ ପ୍ରସ୍ତୁତ କରୁଛି ବିଜେପି |

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ସଂସଦରେ ଉପସ୍ଥାପନ କରିବା ପ୍ରସଙ୍ଗରେ ସଂସଦ ହୁଲସ୍ଥୂଲ ହେଉଥିବାବେଳେ ବିଜେପି ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ବିଜେପି ପୁସ୍ତକର ଜବାବ ପୁସ୍ତକରେ ଦେବାକୁ ଚାହୁଛି। କଂଗ୍ରେସ ଓ ଏହାର ନେତୃବର୍ଗ ନେହରୁଙ୍କଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବିବାଦୀୟ ଆଲେଖ୍ୟ ସଂଗ୍ରହ କରୁଛି।ବିଜେପି ୧୫୦ରୁ ଅଧିକ ପୁସ୍ତକ ଓ ଜର୍ଣ୍ଣାଲକୁ ନେଇ ଏକ ସଙ୍କଳନ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ବିଜେପି ସୂତ୍ର ଅନୁଯାୟୀ, ଦଳର ଚିନ୍ତାଶୀଳ ବ୍ୟକ୍ତି ଓ ଗବେଷକଙ୍କୁ ଏ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଜବାହରଳାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସେମାନଙ୍କ ରାଜନୈତିକ ଉତ୍ତରାଧିକାରୀଙ୍କ ସମ୍ପର୍କରେ ବିଭିନ୍ନ ପୁସ୍ତକ, ଜର୍ଣ୍ଣାଲରେ ପ୍ରକାଶିତ ଲେଖା ସଂଗ୍ରହ କରିବାକୁ କୁହାଯାଇଛି। ରାହୁଲ ଗାନ୍ଧୀ ‘ସହରୀ ନକ୍ସଲ’ ପରି ବ୍ୟବହାର କରୁଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି। ଦୁବେ କହିଛନ୍ତି, ନେହରୁ-ଗାନ୍ଧୀ ପରିବାରର କୁକର୍ମକୁ ନେଇ ଏକ ପୂରା ଏକ ଉତ୍ସର୍ଗୀକୃତ ପାଠାଗାର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି। ଏଥିରେ ଅନ୍ୟମାନଙ୍କୁ ମଧ୍ୟ ଯୋଗଦାନ କରିବାକୁ କୁହାଯାଇଛି। ସେମାନଙ୍କ ନୀତି ତଥା ବ୍ୟକ୍ତିଗତ କାର୍ଯ୍ୟକଳାପ ଯୋଗୁ ଦେଶକୁ ଯେଉଁ କ୍ଷତି ସହିବାକୁ ପଡ଼ିଛି, ସେ ନେଇ ଏକ ପାଠାଗାର ପ୍ରସ୍ତୁତ କରିବାକୁ ମୁଁ ନିଷ୍ପତ୍ତି ନେଇଛି।

ଏହି ପାଠାଗାର ଛାତ୍ର ତଥା ଭବିଷ୍ୟତର ପିଢ଼ି ପାଇଁ ଏକ ମୂଲ୍ୟବାନ ଗବେଷଣା ବିଷୟବସ୍ତୁ ଭାବେ ରଖାଯିବ। ବିଜେପି ନେତାମାନଙ୍କ ଦ୍ୱାରା ପ୍ରଦର୍ଶିତ ପୁସ୍ତକଗୁଡ଼ିକ ମଧ୍ୟରେ ଅରୁଣ ସୂରୀଙ୍କ ଦ୍ୱାରା ଲିଖିତ ‘ଦିଜ୍ ଲେଥାଲ୍, ଇନଏକ୍ସୋରେବଲ୍ ଲଜ୍’ ଅନ୍ତର୍ଭୁକ୍ତ, ଯାହା ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳର ବିଫଳତା, ନୈତିକ ତ୍ରୁଟି ଓ ବୋଫର୍ସ ଦୁର୍ନୀତି ସମ୍ପର୍କରେ ରହିଛି। ଅନ୍ୟ ପୁସ୍ତକ ମଧ୍ୟରେ, ଆର୍ଟିକଲ ୩୭୦: ଅନ୍ଡୁଇଂ ଦ ଅନ୍ଜଷ୍ଟ- ଏ ନ୍ୟୁ ଫ୍ୟୁଚର ଫର୍ ଜେଆଣ୍ଡ୍କେ, ସଞ୍ଜୟ ବାରୁଙ୍କ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ମିନିଷ୍ଟର’, ତଭଲିନ୍ ସିଂହଙ୍କ ‘ଦରବାର’, ଜେବି କୃପାଳିନୀଙ୍କ ‘ମାଇଁ ଟାଇମ୍ସ: ଆନ୍ ଅଟୋବାୟୋଗ୍ରାଫି’, ବିଏନ୍ ମଲିକଙ୍କ ‘ମାଇଁ ଇୟର୍ସ ୱିଥ୍ ନେହରୁ: ଦ ଚାଇନିଜ୍ ବିଟ୍ରାଏଲ ଆଣ୍ଡ ମାଇଁ ଇୟର୍ସ ୱିଥ୍ ନେହରୁ: କାଶ୍ମୀର’ ପ୍ରଭୃତି ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ‘ଦ ଇନସାଇଡର’, କେଏମ୍ ମୁନସୀଙ୍କ ‘ପିଲଗ୍ରିମେଜ୍ ଟୁ ଫ୍ରିଡମ୍’, ଅରୁଣ ସୂରୀଙ୍କ ‘ଏ ସେକୁଲାର୍ ଏଜେଣ୍ଡା’, ଏମ୍ଓ ମାଥାଇଙ୍କ ‘ରେମିନିସେନ୍ସ ଅଫ୍ ଦ ନେହରୁ ଏଜ୍’, କୁମି କପୁରଙ୍କ ‘ଦ ଇମର୍ଜେନ୍ସି’ ପ୍ରଭୃତି ରହିଛି।

ଦଳ ଏହାର ନେତାମାନଙ୍କୁ ପ୍ରକାଶିତ ଉତ୍ସରୁ ଯଥାସମ୍ଭବ ଆଲେଖ୍ୟ ସଂଗ୍ରହ କରି ଏହାକୁ ବ୍ୟାପକ ଭାବରେ ପ୍ରସାରିତ କରିବାକୁ ଉତ୍ସାହିତ କରିଥିବା ଜଣାପଡିଛି। ବିଜେପିର ଜଣେ ବରିଷ୍ଠ ନେତା ନିଜ ଗୋପନ ରଖି କହିଛନ୍ତି, ଏପର୍ଯ୍ୟନ୍ତ ଆମେ ୧୫୦ରୁ ଊର୍ଦ୍ଧ୍ବ ପୁସ୍ତକକୁ ନେଇ ଏକ ସଙ୍କଳନ ପ୍ରସ୍ତୁତ କରିସାରିଛୁ।

Leave a Reply

Your email address will not be published. Required fields are marked *

error: Content is protected !!